ଦୁର୍ନୀତିଗ୍ରସ୍ତ ସରକାରୀ ବାବୁଙ୍କ ବିରୋଧରେ ଗଣ ଧାରଣା
ଦୁର୍ନିତି ବିରୋଧୀ ଅଭିଯାନ ପକ୍ଷରୁ ଜଗତସିହପୁର ଜିଲ୍ଲାର ସରକାରୀ ଦୁର୍ନୀତି ଦମନ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଭାରତ ଭଳି ଏକ ଜନମଙ୍ଗଳକାରି ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟରେ ସରକାରୀ କଳଟା ଜନସାଧାରଣଙ୍କ ବିକାଶ ଦିଗରେ କାର୍ଯ୍ୟକାରୀ ହେବାକୁ ଥିବାବେଳେ ଜିଲ୍ଲାରେ ସରକାରୀ କର୍ମଚାରୀ ମାନେ ନିର୍ଭୟରେ ଦୁର୍ନୀତି କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ଯାହା ଫଳରେ ଜିଲ୍ଲାର ଜନସାଧାରଣ ଆର୍ଥିକ,ମାନସିକ ଓ ଶାରିରୀକ ଭାବେ କ୍ଷତିଗ୍ରସ୍ତ ହେବା ସହିତ ଜିଲ୍ଲାର ସାମଗ୍ରିକ ବିକାଶ ବାଧାପ୍ରାପ୍ତ ହେଉଛି। ଖଜୁରୀ ଗଛର ମୁଳରୁ ପାହାଚ ଭଳି ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ଆଜି ଦୁର୍ନୀତିର ଦୁର୍ଗ ପାଲଟିଛି। ପ୍ରାୟ ୧୪ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଜଗତସିଂହପୁର ଜିଲ୍ଲା ଏକ ଖଣିଜ ସମ୍ପଦ ବିହୀନ ଜିଲ୍ଲା ତେଣୁ ଜିଲ୍ଲା ବାସୀଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ଜିଲ୍ଲା ବିକାଶରେ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସରକାରୀ ଦୁର୍ନୀତି, ଲାଞ୍ଚ କାରବାର ଓ କର୍ମଚାରୀଙ୍କ ବେପରୁଆ ମନୋଭାବ ଯୋଗୁ ଜିଲ୍ଲା ଏବଂ ଜିଲ୍ଲା ବାସୀଙ୍କ ବିକାଶ ଆଜି ବିପଥଗାମୀ। ଜୀବନ ସଙ୍କଟାପନ୍ନ।ଭବିଷ୍ୟତ ଅନ୍ଧକାର ମୟ ହେବାକୁ ଯାଉଛି। ଜିଲ୍ଲାରେ ନିଶାଦ୍ରବ୍ୟ ସମ୍ପୂର୍ଣ ଭାବରେ ବନ୍ଦ କରିବା ସହିତ ସରକାରୀ ସ୍ତରରେ ହେଉଥିବା ଦୁର୍ନୀତିକୁ ସମ୍ପୂର୍ଣ ଭାବରେ ବନ୍ଦ କରିବା ପ୍ରତିବାଦରେ ଦୁର୍ନୀତି ବିରୋଧ ଅଭିଯାନ ଆରମ୍ଭ ହୋଇଛି। ଏହି ଅବସରରେ ସ୍ଥାନୀୟ ସଦର ଥାନା ଛକ ଠାରୁ ଶତାଧିକ ମହିଳା ମାନଙ୍କ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚି ୧୫ ଦଫା ଦାବି ସମ୍ବଳିତ ଦାବପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦୁର୍ନୀତି ବିରୋଧୀ ଅଭିଯାନର କର୍ମକର୍ତ୍ତା ଦେବିପ୍ରସାଦ ମହାରଣା,ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର,ଗୋବିନ୍ଦ ଓଝା,ଜଗନ୍ନାଥ ବେହେରା,ବିଜୟଲକ୍ଷ୍ମୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ |