ପୁଣି ଚାରିଛକ ଥାନାକୁ ଆସିଲେ ମମତାରାଣୀ ବିଶ୍ଵାଳ।
ନିମାପଡ଼ା,୨୨/୯- ପୁରୀ ଜିଲ୍ଲା ଚାରିଛକ ଥାନାର ନୂତନ ଥାନା ଅଧିକାରିଣୀ ଭାବେ ପୁନଶ୍ଚ ଯୋଗ ଦେଇଛନ୍ତି ମମତାରାଣୀ ବିଶ୍ଵାଳ।ଏଠାରେ କାର୍ଯ୍ୟରତ ଥିବା ଏସ ଆଇ ସଂଗ୍ରାମ କେଶରୀ ସ୍ଵାଇଁଙ୍କୁ ସାକ୍ଷୀଗୋପାଳ ଥାନାକୁ ବଦଳି କରାଯାଇଛି।ଗତବର୍ଷ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଦାବିକୁ ନେଇ ସରକାର ଚାରିଛକ ଫାଣ୍ଡିକୁ ଥାନାର ମାନ୍ୟତା ପ୍ରଦାନ କରିଥିଲେ।ନିମାପଡ଼ା ଥାନାରେ କାର୍ଯ୍ୟରତ ଏସ ଆଇ ମମତାରାଣୀଙ୍କୁ ଚାରିଛକ ବଦଳି କରାଯାଇ ସେଠାକାର ଥାନାର ଦାୟିତ୍ଵ ପ୍ରଦାନ କରାଯାଇଥିଲା।ମମତା ଥାନାର ଦାୟିତ୍ଵ ଗ୍ରହଣ କରିବା ପରେ ଚାରିଛକ ମୁଖ୍ୟ ବଜାରରେ ଦୀର୍ଘଦିନ ଧରି ଲାଗିରହି ଥିବା ଟ୍ରାଫିକ ସମସ୍ୟାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିଥିବା ବେଳେ ଚୋରି,ରାହାଜାନୀ,ଡ଼କାୟତି ଆଦି ସମସ୍ୟା ସମ୍ପୂର୍ଣ୍ଣ ମୂଳପୋଛ ହୋଇଥିଲା।ସେହି ପରି ଅଞ୍ଚଳରେ ବିଭିନ୍ନ ଅନୈତିକ କାର୍ଯ୍ୟରେ ଲିପ୍ତଥିବା ଦୁର୍ବୁର୍ତ୍ତ ମାନେ ନିଜ ନିଜ କାର୍ଯ୍ୟ ଗୋଟେ ପ୍ରକାର ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ।ଅନେକ ଚୋରା ନିଶା ବେପାରୀ, ଗୋ ଚାଲାଣ କାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଥିଲା।ସେହି ପରି ମୁଖ୍ୟ ବଜାରରେ ଚୋରକୁ ଗୋଡେଇ ଗୋଡେଇ ଧରିବା ସେ ସମୟରେ ମମତାଙ୍କୁ ସମଗ୍ର ଅଞ୍ଚଳରେ ଚର୍ଚ୍ଚାକୁ ଆଣିଥିଲା।ମମତା ନିଜର ସଠିକ୍ କାର୍ଯ୍ୟଶୈଳୀ ଯୋଗୁ ଅନେକ ସମୟରେ ଚର୍ଚ୍ଚାରେ ରହିବା ସହିତ ଅଞ୍ଚଳ ବାସୀଙ୍କ ନିକଟତର ହୋଇପାରିଥିଲେ।ନିମାପଡ଼ା ଥାନାରେ ଥିବା ସମୟରେ ମଧ୍ୟ ଅନେକ ବଡ ବଡ ରାଜନୈତିକ ହିଂସାକୁ ନିଜର ଉପସ୍ଥିତ ବୁଦ୍ଧି ଓ ସଠିକ୍ କାର୍ଯ୍ୟଦକ୍ଷତା ଆଧାରରେ ସମାଧାନ କରିଥିବା ଦେଖିବାକୁ ମିଳିଥିଲା।ଆଜି ଦ୍ବିତୀୟ ଥର ପାଇଁ ତାଙ୍କୁ ଚାରିଛକ ଥାନାର ଦାୟିତ୍ଵ ପ୍ରଦାନ କରାଯାଇଥିବା ବେଳେ ଅଞ୍ଚଳ ବାସୀ ବେଶ୍ ଖୁସି ଥିବା ଦେଖିବାକୁ ମିଳିଛି।ମମତା ପୁଣି ନିଜର କାର୍ଯ୍ୟଦକ୍ଷତା ବଳରେ ଚାରିଛକ ଅଞ୍ଚଳ ସମସ୍ୟାର ସମାଧାନ କରିବେ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି।